ଏହାଛଡା ସଚିବ ଚଳଚ୍ଚିତ୍ର ପତ୍ରିକା ପ୍ରଚ୍ଛଦ ପ୍ରଦର୍ଶନୀକୁ ଉଦଘାଟନ କରି ରାଜ୍ୟ ସଂଗ୍ରହାଳୟ ଚଳଚ୍ଚିତ୍ର ଗ୍ୟାଲେରିରେ ପ୍ରଦର୍ଶନୀରେ ସ୍ଥାନିତ ସମସ୍ତ ପତ୍ରିକାର ପ୍ରଚ୍ଛଦ ଫଟୋକୁ ରଖିବାକୁ କହିଥିଲେ । ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାଚକ୍ର ‘ପଞ୍ଚସଖା ଓ ସାମାଜିକ ପ୍ରତିବାଦ’ରେ ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ବସନ୍ତ କୁମାର ମଲ୍ଲିକ ଯୋଗଦେଇଥିଲେ। ସମ୍ଭ୍ରାନ୍ତ ଭାଷା ଓ ଜନଭାଷା, ସମ୍ଭ୍ରାନ୍ତ ଧର୍ମ ଓ ଲୋକଧର୍ମ ଇତ୍ୟାଦିର ଉଦାହରଣ ଦେଇ ଚଳଚ୍ଚିତ୍ର ସମାଜକୁ ବାର୍ତ୍ତା ପ୍ରଦାନ କରିବାରେ ଏକ ବଳିଷ୍ଠ ମାଧ୍ୟମ ହୋଇପାରିଛି ବୋଲି ନାୟକ କହିଥିଲେ। ଏହି ଅବସରରେ ‘ସିନେ ଗାଇଡ୍’ ଓ ‘ବାଣୀଚିତ୍ର’ର ସଂପାଦକ ପରିକ୍ଷିତ ଜେନା, ‘ମନୋରଞ୍ଜନ’ ପତ୍ରିକାର ସମ୍ପାଦକ ଶ୍ରୀକାନ୍ତ ମହାନ୍ତି ଏବଂ ଅନିଲ ଧୀରଙ୍କୁ ଅଭିଲେଖାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ଧମାଳ ଜିଲାର ସାରସ୍ବତ ସାଧକ ସ୍ବର୍ଗତ ପଣ୍ଡିତ ରଘୁନାଥ ରଥଙ୍କ ପ୍ରଦତ୍ତ ୨୫୦୦ ଖଣ୍ଡ ବିରଳ ପୁସ୍ତକକୁ ଅଭିଲେଖଗାର ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା।
ଉତ୍କଳ ବିକାଶ ଯୁବ ପରିଷଦ ନେତାଜୀ ସୁଭାଷ ବୋଷଙ୍କ ଉପରେ ରଚିତ ବିରଳ ପୁସ୍ତକ ସଂଗ୍ରହ କରି ଅଭିଲେଖାଗାରକୁ ପ୍ରଦାନ କରିଥିବାରୁ ପରିଷଦର ସଦସ୍ୟମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ଅଭିଲେଖାଗାର ଅଧୀକ୍ଷକ ଡ. ଶେଖ ସୁଲେମାନ ଅଲି ସ୍ୱାଗତ ଭାଷଣ ଦେଇଥିବା ବେଳେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ରାଜକିଶୋର ମିଶ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗଦାଧର ପୁଟ୍ଟି, ଅଭିନେତା ହରିଶ ମହାପାତ୍ର, ରମେଶ ମହାନ୍ତି, ସଚ୍ଚି ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।